ଭଦ୍ରକ ସ୍ବୟଂଶାସିତ କଲେଜକୁ ବିଶ୍ଵବିଦ୍ୟାଳୟ କରିବା ଦାବି ଜୋର ଧରିଲା

thesamikhsya
1 Min Read
ଭଦ୍ରକ ସ୍ବୟଂଶାସିତ କଲେଜକୁ ବିଶ୍ଵବିଦ୍ୟାଳୟ କରିବା ନେଇ ଦାବି ଜୋର ଧରିଲା

ଭଦ୍ରକ : ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି ନେଇ ଆଜି ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ଖୋଦ୍ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ଵରେ ୩୦ରୁ ଉଦ୍ଧ୍ଵର୍ କର୍ମକର୍ତ୍ତା ଏବଂ ମଞ୍ଚର ଉପଦେଷ୍ଟା ଆଜି ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯିବା, ଖାଲିଥିବା ଅଧ୍ୟାପକ ପଦ ପୂରଣ ସହିତ ଖାଲି ପଡ଼ିଥିବା ସମସ୍ତ କର୍ମଚାରୀ ପଦବୀ ପୂରଣ ପ୍ରଭୃତି ଦାବୀ କରାଯାଇଛି।

ଏହି ଅବସରରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାପାଳ ଭଦ୍ରକର ବୁଦ୍ଧିଜୀବୀମାନଙ୍କ ସହିତ ତଥ୍ୟଭିତ୍ତିକ ଆଲୋଚନା କରି ସରକାରଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଥିଲା। ଅନ୍ୟ ସମସ୍ତ ଦାବିଗୁଡ଼ିକ ଜିଲ୍ଳାପାଳଙ୍କ କତ୍ତ୍ଵାଧୀନ ହୋଇଥିବାରୁ ଏହା ଖୁବ ଶିଘ୍ର ପୂରଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ବୋନ୍ଦର ପ୍ରତିଶୃତି ଦେଇଥିଲେ।

ଉକ୍ତ ଦାବିପତ୍ର ପ୍ରଦାନରେ ଶ୍ରୀଯୁକ୍ତ ବିଶ୍ଵାଳଙ୍କ ସମେତ ରୋଟାରିଆନ ଅଭିଜିତ୍ ନାୟକ, ସମାଜସେବୀ ଅନିଲ ଦେ, ଯୋଗଗୁରୁ ସୁରେନ୍ଦ୍ର ଦାସ, ପ୍ରାକ୍ତନ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଜେନା, ଅତୁଲ ଦେ, ପ୍ରଦୀପ ଦାସ, ମଞ୍ଚର କାର୍ଯ୍ୟାଳୟ ସମ୍ପାଦକ ବିଶ୍ଵନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share this Article