ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ, ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ପାଳିତ

thesamikhsya
1 Min Read
ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ, ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ପାଳିତ

ଭୁବନେଶ୍ବର: ସ୍ୱପରାୟଣତା (ଅଟିଜିମ୍‌) ରହିଥିବା ଲୋକମାନଙ୍କୁ ସ୍ନାୟବିକ ସମସ୍ୟା କାରଣରୁ ସାମାଜିକ ଭାବବିନିମୟ ଏବଂ ଯୋଗାଯୋଗ ଅସୁବିଧା ହେଉଥିବାରୁ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଓ ବିଭିନ୍ନ ପଦକ୍ଷେପର ରୂପାୟନ ଦରକାର ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ଆଜି ସକାଳେ ଆୟୋଜିତ ଏକ ସଚେତନତା ରାଲିର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ସ୍ୱପରାୟଣତା ସମସ୍ୟା ରହିଥିବା ଲୋକମାନେ ମାନସିକ ସ୍ତରରେ ଅନଗ୍ରସର ହୋଇଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରତିବନ୍ଧକରୁ ମୁକ୍ତ କରି ବିଭିନ୍ନ କାର୍ଯ୍ୟରେ ସାମିଲ କରାଯାଇପାରିବ।

ଆଜି ସକାଳେ ସ୍ଥାନୀୟ ରାମ ମନ୍ଦିର ଛକଠାରୁ କ୍ୟାପିଟାଲ୍‌ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଏହି ରାଲିରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ବିଭାଗର ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ।

ରାଲିରେ କ୍ୟାଚ୍‌, ଓପନ୍‌ ଲର୍ଣ୍ଣିଂ ସିଷ୍ଟମ୍‌, ଚେତନା ଇନ୍‌ଷ୍ଟିଚୁ୍ୟଟ୍‌, ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ସ୍ୱପରାୟଣମାନଙ୍କ ସମେତ ସେ୍ୱଚ୍ଛାସେବୀ, ଶିକ୍ଷକ ଓ ଅଭିଭାବକମାନେ ଯୋଗଦେଇଥିଲେ। ସ୍ୱପରାୟଣ ଛାତ୍ରଛାତ୍ରୀମାନେ ପ୍ଲା-କାର୍ଡ ଧରି ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।

ଏହି ଅବସରରେ ଲୋକସେବା ଭବନ ଓ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ (ଏସ୍‌ଆଇଇପି) ନୀଳ ଆଲୋକରେ ସଜ୍ଜିତ ହୋଇଥିଲା। ଅପରାହ୍ନରେ ଏକାମ୍ର ହାଟ ଓ ସନ୍ଧ୍ୟାରେ ଏସ୍‌ଆଇଇପିଠାରେ ସ୍ୱପରାୟଣ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

Share this Article