ସଂସଦ ଅଧିବେଶନର ଶେଷ ଦିନରେ ତ୍ରିରଙ୍ଗା ପଦଯାତ୍ରା: ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ

thesamikhsya
1 Min Read

ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି।

କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରିଆସୁଛି, ଏହା ପୂର୍ବରୁ ଆମେ କେବେ ଏଭଳି ସମୟ ଦେଖିନାହୁଁ।

ମଲ୍ଲିକାର୍ଜୁନ୍ ଖଡଗେ କେନ୍ଦ୍ର ସରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ସରକାର କେବଳ ଜଣେ ପୁଞ୍ଜିପତିଙ୍କୁ ଏତେ ଜିନିଷ କାହିଁକି ଦେଉଛନ୍ତି? ଆପଣ ତାଙ୍କୁ ବିମାନବନ୍ଦର, ସଡକ, ବନ୍ଦର, ରେଳ ଦେଇଛନ୍ତି। ଏହା ଦର୍ଶାଉଛି ଯେ, ସରକାର କେବଳ ଜଣେ ବ୍ୟକ୍ତିଙ୍କୁ ଧନୀ କରିବାକୁ ଚାହୁଁଛନ୍ତି।

କଂଗ୍ରେସ ଅନ୍ୟ ବିରୋଧୀଦଳ ନେତାଙ୍କ ସହ ଆଜି ସଂସଦ ଅଧିବେଶନର ଶେଷ ଦିନରେ ବିଜୟ ଚୌକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲା। କଂଗ୍ରେସ ଦଳ ଟୁଇଟ୍ କରି କହିଛି ଯେ, ମୋଦୀ ସରକାର ଅଦାନୀ ଦୁର୍ନୀତିରେ ଜେପିସି ସ୍ଥାପନ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ଏହି ଦାବି ପାଇଁ ଆମେ ସଂସଦରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା କରିଛୁ। କଂଗ୍ରେସ କହିଛି ଯେ, କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଏହି ପଦଯାତ୍ରାରେ ଉପସ୍ଥିତ ଅଛନ୍ତି।

Share this Article