କନ୍ଦର୍ପ ବେହେରା
ରେଢାଖୋଲ: ଦେଶ ମାତୃକାର ସୁରକ୍ଷା ପାଇଁ ବହୁ ଜବାନ୍ ସୈନ୍ୟବିଭାଗରେ କାମ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ସୈନିକ ଭାବରେ ରହି ଶତୃକୁ ସଂହାର ମଧ୍ୟ କରୁଛନ୍ତି। ଦେଶ ପ୍ରତି ଥିବା ଭଲପାଇବା ପାଇଁ ହିଁ ସେ ପାଲଟି ଯାଆନ୍ତି ଜଣେ ଜଣେ ସୈନିକ। ନିଜ ଜୀବନକୁ ବାଜି ଲଗାଇ ପରିବାର ଠାରୁ ବହୁ ଦୂରରେ ରହି କାମ କରନ୍ତି ଦିନରାତି ଏକାକାର କରି। ନାଁ ସେଠି ଥାଆନ୍ତି ଜ୍ଞାତି କୁଟୁମ୍ବ ନା ଥାଆନ୍ତି ପରିବାର ଲୋକେ। ପାଖରେ କେବଳ ନିଜର ସାଥୀ ସୈନିକ। ନିଜର ଅଦମ୍ୟ ସାହସ ପାଇଁ ଆଜି ଜଣେ ସୈନିକ ଦେଶସେବକର ପରିଚୟ ପାଲଟିଯାଏ।
ସେମିତି ଜଣେ ସୈନିକ ଅଛନ୍ତି ଯିଏକି ସୈନ୍ୟବିଭାଗରେ ଚାକିରୀ କରି ଅବସର ପରେ ଜଣେ ସଫଳ ଚାଷୀ ଭାବରେ ବେଶ୍ ପରିଚିତ। ସେ ହେଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍ଡିଭିଜନ ନାକଟିଦେଉଳ ବ୍ଲକ୍ ସାହେବୀ ଗ୍ରାମପଂଚାୟତର ରେଂଗାଲିପଂଚୁ ଗାଁର ଗୋବର୍ଦ୍ଧନ ସାହୁ।
ସେ ଛୋଟ ବେଳୁ ଶୁଣି ଆସୁବା ଜୟ ଜବାନ୍ ଜୟ କିସାନ୍ କୁ ଅକ୍ଷରେ ଅକ୍ଷରେ ମାନି ଆସୁଛନ୍ତି। ନିଜର ଅଦମ୍ୟ ଇଚ୍ଛା ଶକ୍ତି ଯୋଗୁଁ କେବଳ ଯେ ନାକଟିଦେଉଳ ଅଂଚଳରେ ସଫଳ ଚାଷୀ କୁହାଯିବ ତା ନୁହେଁ ସେ ସାରା ଭାରତ ବର୍ଷର ସଫଳ ଚାଷୀ ଭାବରେ ଉଦାହରଣ ପାଲଟିଛନ୍ତି।
ଜଣେ ସୈନିକ ଭାବରେ ସୀମାରେ ଦେଶ ମାତୃକାର ସେବାକରି ନାଁ ରଖିଥିବା ଏବଂ ଜୟ ଜବାନର ନାରା କୁ ସାର୍ଥକ କରିଥିବା ଗୋବର୍ଦ୍ଧନ ସାହୁ ଜଣେ ଅମାୟିକ ମଣିଷ। ଚାକିରିରୁ ଅବସର ନେବାପରେ ନିଜ ଜମିରେ ବିଭିନ୍ନ ପ୍ରକାରର ଚାଷ କରି ଜୟ କିସାନର ବାର୍ତ୍ତା ଦେଇ ଚାଲିଛନ୍ତି ସେ। ଖାଲି ଏତିକି ନୁହଁ ଅବସର ସମୟରେ ସମୟ ବାହାର କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଦେଉଛନ୍ତି ଦେଶଭକ୍ତିର ନାରା।
ନିଜ ଗାଁ ରେଙ୍ଗାଲି ପଂଚୁରେ ଥିବା ବଗିଚାରେ ଭଳିକି ଭଳି ପେନ୍ଥା ପେନ୍ଥା ବରକୋଳି, ସପୁରି, କଦଳୀ, କାଜୁ, ଓ ଆମ୍ବ ଅନେକ ଫଳମୁଳ ଚାଷ କରିଛନ୍ତି ସେ। ସ୍ତ୍ରୀ, ପୁଅଙ୍କ ସହ ମିଶି ଜୈବିକସାରରେ ଏହି ସବୁ ଚାଷ କରୁଥିବା ବେଳେ କୁକୁଡା, ମାଛ, ଗାଈ ଚାଷ ମଧ୍ୟ କରିଛନ୍ତିି। ନିଜର ପାୱାର ଟିଲର ସାହାଯ୍ୟରେ ଟ୍ରାକ୍ଟରରେ ଲଦି ନାକଟିଦେଉଳ ହାଟକୁ ନେଇ ବିକ୍ରି କରୁଥିବା ସୈନିକ ଗୋବର୍ଦ୍ଧନ ସାହୁ ସତରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।
ଏପରିକି ନିଜ ଅଂଚଳରେ ଥିବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତି। ନିୟମିତ ଭାବରେ ବିଭିନ୍ନ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କୁ ଏନସିସି, ସ୍କାଉଡ ମାଧ୍ୟମରେ ଦେଶସେବା ପାଇଁ ମାଗଣାରେ ତାଲିମ ଦେଉଛନ୍ତି ସେ। ଆଜିର ଯୁବପିଢିଙ୍କ ପାଇଁ ଦେଶସେବା ସହ ଚାଷ କରି ନିଜକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ନେଇ ଏସବୁ କରୁଛି ବୋଲି ଗୋବର୍ଦ୍ଧନ ସାହୁ ପ୍ରକାଶ କରିଛନ୍ତି।
ସେ ପ୍ରଥମେ ୧୯୮୬ ମସିହାରେ ସିଆରଫିଏଫ ଜବାନ ଭାବରେ ଅରୁଣାଚଳ ପ୍ରଦେଶର ସୀମାରେ ନିଯୁକ୍ତି ପାଇଥିଲେ । ୧୯୯୧ ମସିହାରେ ପଞାବ ପୋଲିସର ସ୍ୱତନ୍ତ୍ର ଟାକ୍ସଫୋର୍ସର ଡାକରାରେ ସାମିଲ୍ ହୋଇଥିଲେ। ଏଥିରେ ସାମିଲ ହୋଇ ଗୋବର୍ଦ୍ଧନ ସାହୁ ୪ଜଣ ଆତଙ୍କ ବାଦୀଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ସେଥିପାଇଁ ତାଙ୍କୁ ୧୯୯୨ ମସିହାରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଦ୍ୱାରା “ସୌରଚକ୍ର” ରେ ସମ୍ମାନୀତ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳି ନ ଥିବା ଜଣା ପଡିଛି। ୨୦୦୭ ମସିହାରେ ଅବସର ନେବା ପରେ ଗାଁକୁ ଆସି ନିଜର ଜମିରେ ଚାଷ ଆରମ୍ଭ କଲେ।
ପନିପରିବା ଫଳମୂଳ କୁ ବଜାର ଦରରୁ କମମୂଲ୍ୟରେ ବିକ୍ରି କରି ମିଳୁଥିବା ଲାଭ କୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ କରିଥାନ୍ତି। ଗୋବର୍ଦ୍ଧନଙ୍କ ଏପରି ପ୍ରୟାଶ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେବନାହିଁ।