ବାଣପୁର: ଭେଟେଶ୍ୱର ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ, ନାମ ଲେଖାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

thesamikhsya
1 Min Read

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟ ସରକାର ବିଗତ ଦିନରେ ରାଜ୍ୟର ବହୁ ହାଇସ୍କୁଲକୁ କଲେଜରେ ରୂପାନ୍ତରଣ କରିଥିବା ବେଳେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ହାଇସ୍କୁଲ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଉକ୍ତ ସ୍କୁଲରେ କେବଳ ଦ୍ୱାଦଶ କଳା ବିଭାଗରେ ଚଳିତ ବର୍ଷ ପାଠ ପଢାଇବାକୁ ଆଦେଶ ଥିବାବେଳେ ୧୨୮ ଜଣ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ଅଧ୍ୟୟନ କରିବାର ବ୍ୟବସ୍ଥା ହୋଇଛି।

ସେହି ପରିପ୍ରେକ୍ଷୀରେ ଉକ୍ତ ସ୍କୁଲରେ ବିଇଓ ସନାତନ ଜାଲିଙ୍କ ତତ୍ୱାବଧାନରେ +୨ ନାମଲେଖା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସ୍କୁଲ ଆଲୁମିନ କମିଟି ସଭାପତି ଶଶିଭୂଷଣ ସୁବୁଦ୍ଧି, ଏସଏମସି ସଭାପତି କାହ୍ନୁ ଚରଣ ପଲାଇ ଏବଂ ବିଆରସିସି ସାନ୍ଧ୍ୟରାଣୀ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇ ଉକ୍ତ ସ୍କୁଲରେ ପ୍ରଥମ କରି ଖୋଲିଥିବା +୨ ରେ ନାମ ଲେଖାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଗ୍ରାମବାସୀଙ୍କ ସହ ଉକ୍ତ ସ୍କୁଲରେ ଦଶମଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଦଶମଶ୍ରେଣୀରେ ପାସ କରି ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। ଏଠାରେ ସମୁଦାୟ ୧୨୮ ଜଣ ଛାତ୍ରଛାତ୍ରୀ ନାମଲେଖାଇବାର ସୁବିଧା ଥିବାବେଳେ ୬୪ ଜଣ ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡ଼ିଥିବା ପିଲା ମାନଙ୍କୁ ବିଇଓ ଓ କମିଟି ମାଧ୍ୟମରେ ଚୟନ କରାଯିବାର ବନ୍ଦୋବସ୍ତ କରାଯାଇଛି। ଅବଶିଷ୍ଟ ୬୪ ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନାମଲେଖାଇପାରିବେ ବୋଲି ବିଇଓ ସନାତନ ଜାଲି ପ୍ରକାଶ କରିଛନ୍ତି।

ଉକ୍ତ ସ୍କୁଲରେ +୨ ଖୋଲିବା ଫଳରେ ସ୍କୁଲ ସଂଲଗ୍ନ ନୀଳାଦ୍ରି ଓ ଦାମିଆ ବରବରା ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Share this Article