ଚାଇନା ନୁହେଁ, ଆମେରିକା ହେଲା ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ, ଜାଣନ୍ତୁ ରପ୍ତାନିରେ କେତେ ବୃଦ୍ଧି

thesamikhsya
2 Min Read

ନୂଆଦିଲ୍ଲୀ: ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ଗତ ଆର୍ଥିକ ବର୍ଷରେ ସର୍ବାଧିକ ହୋଇଛି। ବର୍ତ୍ତମାନ ଆମେରିକା ଭାରତର ବୃହତ୍ତମ ବ୍ୟବସାୟିକ ଭାଗିଦାରୀ ହୋଇପାରିଛି। ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୨୮.୫୫ ବିଲିୟନ ଡ଼ଲାରର ବାଣିଜ୍ୟ ହୋଇଛି। ଏହା ଦର୍ଶାଉଛି ଯେ, ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଛି। ଏଥି ସହିତ, ଏହି କ୍ଷେତ୍ରରେ ଚୀନ୍ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି।

ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୨୨-୨୩ ମସିହାରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୭.୬୫ ପ୍ରତିଶତ ବୃଦ୍ଧି ହୋଇ ୧୨୮.୫୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୨୦-୨୧ ରେ ଉଭୟ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ୧୧୯.୫ ବିଲିୟନ ଡ଼ଲାର୍ ଥିଲା।

ଆମେରିକାରୁ ରପ୍ତାନିରେ କେତେ ବୃଦ୍ଧି?:

ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତରୁ ଆମେରିକାକୁ ରପ୍ତାନି ୨.୮୧ ପ୍ରତିଶତ ବୃଦ୍ଧି ହୋଇ ୭୮.୩୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୨୧-୨୨ ମସିହାରେ ୭୬.୧୮ ବିଲିୟନ ଡ଼ଲାରରେ ଥିଲା। ଏହି ସମୟ ମଧ୍ୟରେ ଭାରତରୁ ଆମେରିକାର ଆମଦାନୀ ୧୬ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହା ୫୦.୨୪ ବିଲିୟନ ଡ଼ଲାରରେ ପହଞ୍ଚିଛି।

ଚୀନ୍ ସହିତ ବାଣିଜ୍ୟରେ ହ୍ରାସ:

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ-ଚୀନ୍ ବାଣିଜ୍ୟ ଗତ ବର୍ଷ ୧୧୫.୪୨ ବିଲିୟନ ଡ଼ଲାର ତୁଳନାରେ ୧.୫ ପ୍ରତିଶତ ହ୍ରାସ ପାଇ ୧୧୩.୮୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୨୨-୨୩ ମସିହାରେ ଭାରତରୁ ଚାଇନାକୁ ରପ୍ତାନି ୨୮% ହ୍ରାସ ପାଇ ୧୫.୩୨ ବିଲିୟନ ଡ଼ଲାରରେ ଥିବାବେଳେ ଆମଦାନୀ ୪.୧୬% ବୃଦ୍ଧି ହୋଇ ୯୮.୫୧ ବିଲିୟନ ଡ଼ଲାରରେ ପହଞ୍ଚିଛି।

ଚୀନ୍ ସହିତ କେତେ ବାଣିଜ୍ୟ ନିଅଣ୍ଟ:

ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୨୦୨୨-୨୩ ରେ ୮୩.୨ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ପୂର୍ବ ବର୍ଷର ୭୨.୯୧ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ବର୍ଷରେ ମଧ୍ୟ ଆମେରିକା ସହିତ ବାଣିଜ୍ୟ ବୃଦ୍ଧି ହେବାର ଧାରା ଜାରି ରହିବ। ଏହା ସହିତ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଆମେରିକା ନିରନ୍ତର କାର୍ଯ୍ୟ କରୁଛନ୍ତି।

Share this Article