ଶ୍ରୀଜୟଦେବ ଜୟନ୍ତୀ ପାଳନ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

thesamikhsya
1 Min Read
ଶ୍ରୀଜୟଦେବ ଜୟନ୍ତୀ ପାଳନ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକର ଆଲୋଚନା ଅନୁଯାୟୀ ଆସନ୍ତା ୨୩ ତାରିଖ ଦିନ ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ଦାସ ମଠରେ ପୂର୍ବାହ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଦିନ ସନ୍ଧ୍ୟାରେ ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଲି ଗ୍ରାମରେ ଜୟଦେବଙ୍କ ସଂପର୍କରେ ଏକ ସାଧାରଣ ସଭା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସଭାରେ ସ୍ଥାନୀୟ ଜନପ୍ରତିନିଧି, ସାଧାରଣ ଜନତା ଓ ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଦର୍ଶକମାନଙ୍କ ନିମନ୍ତେ ପାନୀୟ ଜଳ, କାର୍ଯ୍ୟକ୍ରମ ସ୍ଥଳୀରେ ସ୍ୱଚ୍ଛତା ଆଦି ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଂକୀର୍ତ୍ତନ ପରିକ୍ରମା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଏହି ଜୟଦେବ ଜୟନ୍ତୀ ପାଳନ କରାଯିବ।

ଏହି ବୈଠକରେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ବାଲିଅନ୍ତା ବିଡ଼ିଓ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ବାଲିପାଟଣା ବିଡ଼ିଓ ଶ୍ରୀ ଆଦିକନ୍ଦ ବେହେରା, ବାଲିଅନ୍ତା ତହସିଲଦାର ଶ୍ରୀ ସମୀର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଭୁବନେଶ୍ୱରର ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ ଏବଂ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

Share this Article