ଅଶାନ୍ତ ହେଲା ବିଜେବି କଲେଜ ପରିସର: ଛାତ୍ରଙ୍କୁ ଆକ୍ରମଣ କଲେ ଅଣଛାତ୍ର, ୩ ଗୁରୁତର

thesamikhsya
1 Min Read

ଭୁବନେଶ୍ବର: ବିଜେବି କଲେଜ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କ୍ରିକେଟ ଖେଳକୁ ନେଇ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ବିଜେବି କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର-ଅଣଛାତ୍ର ମଧ୍ୟରେ ବିବାଦ ହୋଇଛି। ବିବାଦ ଏତେ ବଢିଯାଇଥିଲା ଯେ, ଛାତ୍ରଙ୍କ ଉପରକୁ ଅଣଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବିଜେବି କଲେଜ ପଡ଼ିଆରେ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ କ୍ରିକେଟ ଖେଳୁଥିଲେ। କିନ୍ତୁ ସେହି ସ୍ଥାନରେ ଅଣଛାତ୍ରମାନେ ଖେଳିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଅଣଛାତ୍ରମାନେ ଉତ୍ତେଜିତ ହୋଇ ଛାତ୍ରମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ୧୫ରୁ ଉର୍ଦ୍ଧ୍ଵ ଅଣଛାତ୍ର ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତେବେ ବଦଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ରୁ ୫ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଉଲ୍ଲେଖ ଥାଉ କି, ବିଜେବି କଲେଜ ଗ୍ରାଉଣ୍ଡରେ ପ୍ରତିଦିନ ଶହ ଶହ ପିଲା ଖେଳିବା ପାଇଁ ଯାଅନ୍ତି। ସେଠାରେ ଛାତ୍ରମାନଙ୍କ ସହ ଅଣଛାତ୍ରମାନେ ଦୌଡିବା, ଫୁଟବଲ, କ୍ରିକେଟ ଇତ୍ୟାଦି ଖେଳ ଖେଳିବାକୁ ଯାଇଥାନ୍ତି। ପ୍ରତିଦିନ ସକାଳୁ ସେହି ପଡ଼ିଆରେ ପ୍ରବଳ ଜନଗହଳି ହୋଇଥାଏ।

ତେବେ ଏଭଳି ଘଟଣା ପରେ ସେଠାରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ସକାଳୁ ବ୍ୟାୟମ କରୁଥିବା ଲୋକମାନଙ୍କ ମଧ୍ୟରେ ସଦେହ ସୃଷ୍ଟି ହୋଇଛି। ସେମାନଙ୍କ ପକ୍ଷରୁ ଏଭଳି ଘଟଣାକୁ କଡା ନିନ୍ଦା କରାଯାଇଥିବା ବେଳେ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

Share this Article