ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି

thesamikhsya
1 Min Read

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା।

ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ  ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା।

ଦେଶର ୨୩୦୦ରୁ ଅଧିକ ସହର ଓ ନଗରକୁ ଜିଓ ଟ୍ରୁ ୫ଜି ସେବା ସମ୍ପ୍ରସାରିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ସମ୍ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜିଓର ହାରାହାରି ପ୍ରତି ଗ୍ରାହକ ପ୍ରତି ମାସ ରାଜସ୍ୱ  ୬.୭% ବୃଦ୍ଧି ସହିତ ୧୭୮.୮ ଟଙ୍କାରେ ପହଂଚିଛି। ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ ମାସିକ ୧୦ ଏକସାବାଇଟ ରହିଥିବା ବେଳେ କମ୍ପାନୀ ୯୦ ଲକ୍ଷରୁ ଅଧିକ ଫିକ୍ସଡ଼ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ହାସଲ ସହିତ ଏକ ନମ୍ବର ସ୍ଥାନରେ ରହିଛି।

Share this Article