କୋଇଲା ବୋଝେଇ ଟ୍ରକ ଧକ୍କାରେ ନାବାଳିକାର ମୃତ୍ୟୁ

thesamikhsya
1 Min Read

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଝରଣପଦା ଗ୍ରାମ ନିକଟ ବ୍ରିଜ୍ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତ ଝରଣପଦା ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୮ ବର୍ଷିୟା କନ୍ୟା ତୁଳସୀ ବେହେରା ରାସ୍ତା କଡ଼ରେ ଛିଡା ହୋଇଥିବା ସମୟରେ ଦୃତ ଗତିରେ ଆସି ଏକ କୋଇଲା ବୋଝେଇ ଟ୍ରକ୍ ( ଓଡ଼ି ୦୮ ଓ ୦୩୬୩ ) ନାବାଳିକା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତୁଳସୀ ବେହେରାଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ପହଂଚି ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା। କୋଇଲା ବୋଝେଇ ଟ୍ରକ ଚାଳକ ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ମାରିଥିବା ବେଳେ ରେଢ଼ାଖୋଲ ପୋଲିସ ଟ୍ରକକୁ ଜବତ କରିବା ସହ କେସ ନଂ ୧୦୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋଇଲା ବୋଝେଇ ଟ୍ରକ ଗୁଡ଼ିକ ଦୃତ ଗତିରେ ଆସୁଥିବାରୁ ରେଢ଼ାଖୋଲ ଅଞ୍ଚଳରେ ବହୁ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି।

Share this Article