ବାଣପୁରରେ ଅକ୍ଷୟ ତୃତୀୟା: ରଥକାଠ ଅନୁକୂଳ, ଚନ୍ଦନଯାତ୍ରା ଆରମ୍ଭ

thesamikhsya
1 Min Read

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଖୋର୍ଦ୍ଧା ଜିଲ୍ଲାର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁରଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷି ମୁଠି ଅନୁକୂଳ ହେବା ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥ କାଠ ଅନୁକୂଳ ଏବଂ ଜୀଉମାନଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ସମସ୍ତ ନୀତିକାନ୍ତି ସହିତ ଦେଉଳ ପୁରୋହିତଙ୍କ ଦ୍ଵାରା ରଥ ଖଳାଠାରେ ତିନୋଟି ଫାସିକାଠକୁ ରଖାଯାଇ ତିନି ବାଡ଼ରୁ ଆଜ୍ଞାମାଳ ଅଣାଯିବା ପରେସ୍ଥାପନ କରାଯାଇ ହୋମ ସରିବା ପରେବିଶ୍ଵକର୍ମାଙ୍କ ଦ୍ଵାରା ରଥ ଅନୁକୂଳ କରାଯାଇଥିଲା।

ପରେ ଧୂପ ହୋଇ ମଦନମୋହନ ରାମକୃଷ୍ଣଙ୍କୁ ଚନ୍ଦନ କୁଣ୍ଡରେ ସ୍ଥାପନ କରାଯାଇ ଶୀତଳ ମଣୋହି ଓ ଆଳତି ପରେ ପହୁଡ଼ ହୋଇଥିଲା।

ସେହିପରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ପରେ ପରିଚ୍ଛା ସାଆନ୍ତ ଶ୍ରୀ ଶ୍ରୀ ଗୋପୀନାଥ, ଚନ୍ଦ୍ରଶେଖର ଏବଂ ମା’ ଭଗବତୀଙ୍କୁ ଧୂପ ବଡ଼ାଇ ଶୀତଳ ଚନ୍ଦନ ଅର୍ପଣ ପରେ ଚନ୍ଦନ କୁଣ୍ଡରେ ସ୍ଥାପନ କରିଥିଲେ। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ନିଜକୁ ଶୀତଳ ରଖିବା ପାଇଁ ଦେବାଦେବୀଙ୍କର ଏହି ମାନବୀୟ ଲୀଳାର ପ୍ରତୀକ ଚନ୍ଦନଯାତ୍ରା ସମଗ୍ର ଓଡ଼ିଶାରେ ଦେବାଦେବୀଙ୍କ ପୀଠମାନଙ୍କ ପରି ବାଣପୁରରେ ମଧ୍ୟ ଅନୁଷ୍ଠିତ ହୋଇ ଆସୁଥିବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି।

ଶ୍ରୀ ଶ୍ରୀ ଚରଣ ଚକା ଦେବ, ଅନନ୍ତ ସ୍ଵାମୀ, ଉମା ମହେଶ୍ଵର ପରି ପ୍ରତ୍ୟେକ ବୈଷ୍ଣବ ଓ ଶୈବପୀଠମାନଙ୍କରେ ଅନୁଷ୍ଠିତ ହୋଇଥିଲା।

Share this Article