ଗାଁରୁ ମହିଳାଙ୍କୁ ବାସନ୍ଦ ମାମଲା: ଉପଯୁକ୍ତ ତଦନ୍ତ ଲାଗି ବାଣପୁର ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

thesamikhsya
1 Min Read

କଟକ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପ୍ରତାପ ଗ୍ରାମର ଏକ ପରିବାରକୁ ବାସନ୍ଦ କରାଯାଇଥିବା ମାମଲାରେ ଉପଯୁକ୍ତ ତଦନ୍ତ କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ନିଷ୍କ୍ରିୟତା ବିରୋଧରେ ଆଗତ ମାମଲାରେ ବାଣପୁର ଥାନା ଆଇଆଇସିଙ୍କୁ ବିଚାରପତି ଏସ୍‌. କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେବା ସହିତ ମାମଲାର ଅନ୍ତ ଘଟାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପ୍ରତାପ ଗ୍ରାମର ବାସନ୍ତୀ ବେହେରାଙ୍କୁ କେତେକ ବ୍ୟକ୍ତି ଗ୍ରାମରୁ ବାସନ୍ଦ କରିଥିବା ନେଇ ସେ ବାଣପୁର ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ହାଇକୋର୍ଟରେ ଅପରପକ୍ଷଙ୍କ ବିରୋଧରେ ବାସନ୍ତୀ କରିଥିବା ମାମଲା ବିଚାରାଧୀନ ରହିଥିଲାବେଳେ ଅପରପକ୍ଷ କେସ୍ ଉଠାଇନେବାକୁ ବାସନ୍ତୀଙ୍କ ସ୍ୱାମୀଙ୍କୁ କହିବା ସହ କେସ୍ ନ ଉଠାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କଙ୍ଗାରୁ କୋର୍ଟ କରି ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା କରି ଗ୍ରାମରୁ ବାସନ୍ଦ କରିଥିଲେ। ଗ୍ରାମର ଲୋକମାନେ କେହି ତାଙ୍କ ପରିବାରକୁ ସହଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିଲେ।

ବାସନ୍ତୀଙ୍କ ପକ୍ଷରୁ ବାଣପୁର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଫଳରେ ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବାଣପୁର ଥାନା ଆଇଆଇସିଙ୍କୁ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ ନିମନ୍ତେ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦେବ ବେହେରା ମାମଲା ପରିଚାଳନା କରୁଥିଲେ।

Share this Article