ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

thesamikhsya
2 Min Read
ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି। ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍।

ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ। ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍‌ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି। ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା। କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି।

ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି। ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା। ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି। ଜିଓ ନେଟ୍‌ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।

ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍‌ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି। ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି। ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍‌ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍‌ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି। ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍‌ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି।

କଂପାନିର ନେଟ୍‌ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍‌ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍‌ରେ କଥାବାର୍ତା ହେଉଛନ୍ତି ।

Share this Article