ଅନ୍ୟର ଚାନ୍ଦା ଉପରେ ମତ ଦେବା ପୂର୍ବରୁ ନିଜ ଦଳର ଡୋନେସନର ତଥ୍ୟ ସଂଗ୍ରହ କରୁ ବିଜେପି: ବିଜେଡ଼ି

thesamikhsya
2 Min Read

ଭୁବନେଶ୍ଵର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି। ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରି ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଏକ ପ୍ରେସ୍ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି; ବିଜେପି ବିଧାୟକ ବୁଧାନ ମୁର୍ମୁ ବୋଧେ ଜାଣି ନାହାନ୍ତି ଯେ ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ତାଙ୍କ ନିଜ ଦଳ ବିଜେପି। ଏହା ପଛକୁ କଂଗ୍ରେସ ଦଳ ରହିଥିବାବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି।

ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି ଡୋନେସନ ଆସେ, ତାହାର ଗୋଟି ଗୋଟି ହିସାବ ଜାତୀୟ ନିର୍ବାଚନ କମିସନକୁ ଦେବାକୁ ପଡ଼େ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ପାଖରେ ମଧ୍ୟ ଏହାର ହିସାବ ରହିଛି।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ସେ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି ଏବଂ ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ। ତେଣୁ ଏ ବିଷୟରେ କିଛି ନ ଜାଣି ଶ୍ରୀ ମୁର୍ମୁ ବିଜେପି ପ୍ରାୟୋଜିତ ଚ୍ୟାନେଲରେ ଯେଉଁ ବୟାନ ଦେଇଛନ୍ତି ତାହା ମଧ୍ୟ ପ୍ରାୟୋଜିତ ଥିବା ଭଳି ମନେ ହେଉଛି।

ବିଜେଡି ଡୋନେସନର ଉତ୍ସ ସଂପର୍କରେ ମତ ଦେବା ପୂର୍ବରୁ ସେ ପ୍ରଥମେ ତାଙ୍କ ନିଜ ଦଳ ବିଜେପି ଯେଉଁ ବିପୁଳ ଡୋନେସନ ଲାଭ କରିଛି, ସେ ନେଇ ତଥ୍ୟ ସଂଗ୍ରହ କରନ୍ତୁ ବୋଲି ଶ୍ରୀ ଦାସ ତାଙ୍କୁ ପରାମର୍ଶ ଦେଇଛନ୍ତି।

Share this Article