ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ନିକଟରେ କଣ ଅଭିଯୋଗ କଲା ବିଜେପି

thesamikhsya
1 Min Read
ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ନିକଟରେ କଣ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର: ଝାରସଗୁଡା ଉପନିର୍ବାଚନର ଗତକାଲି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ।

ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା। ଏହା ଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ। ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି।

ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ। ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ ବିଦା କରାଯାଉ। ଝାରସୁଗୁଡାରେ କିଭଳି ଆଇନ ଶୃଙ୍ଖଳା ଓ ଅବାଧ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହେବ ସେଥିନେଇ ଆଜି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ନିଜ ଦଳର ପ୍ରଚାର ପ୍ରସାର କାର୍ଯ୍ୟରେ ଲଗାଉଛନ୍ତି ଯାହା ନିର୍ବାଚନ ଆଚରଣ ବିରୋଧୀ। ପୋଲିସ ପ୍ରଶାସନ ଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରାଇବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚାର ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share this Article