ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର

thesamikhsya
2 Min Read
ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଅଞ୍ଚଳର ଜଣେ ୨୬ବର୍ଷିୟ ଯୁବକ ନୀରୂପ ସାହୁ ବୃତ୍ତିରେ ଜଣେ ଡ୍ରାଇଭର ଅଟନ୍ତି । ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ, ଯିଏକି ପ୍ରତିଦିନ ଗାଡ଼ି ଚଳାଇ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷନ୍ତି ।

ନୀରୂପ ଗତ ଏପ୍ରିଲ ୧୦ତାରିଖରେ ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ରକ୍ତ ବୋହିବା ବନ୍ଦ ହେଉନଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।

ସେଠାରୁ ସେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିଲେ କିନ୍ତୁ ତାଙ୍କୁ ଉନ୍ନତମାନର ପ୍ଲାଷ୍ଟିକସର୍ଜରି ଚିକିତ୍ସା ଆବଶ୍ୟକ ଥିବାରୁ କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ପରିବାରବର୍ଗ ଅସହାୟ ହୋଇ ଓଡ଼ିଶା-ମୋ ପରିବାର ଆବାହକଙ୍କ ସହାୟତା ଲୋଡ଼ିଥିଲେ । ଆବାହକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ପରିବାର ସହ ଯୋଗାଯୋଗ କରି ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ ।

ନିରୂପଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କ ଗୋଡ଼ କାଟିଦେଇଥିଲେ । ଅସ୍ତ୍ରୋପଚାର ସମୟରେ, ତାଙ୍କର ହିମୋଗ୍ଲୋବିନର ମାତ୍ରା କମିଆସିବାରୁ ତାଙ୍କ ପାଇଁ B+ve ରକ୍ତର ଜରୁରୀ ଆବଶ୍ୟକତା ଥିଲା, ଯାହା ରଶ୍ମୀ ଯୋଗାଡ଼ କରି ଦେଇଥିଲେ । ଚିକିତ୍ସା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଶ୍ମୀ, ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ।

ତାଙ୍କ ଗୋଡ଼ କଟିଯାଇଥିବାରୁ, ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତାଙ୍କୁ ଆଗାମୀ ଦିନରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ସେ ଅତି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।  ନିରୂପଙ୍କୁ ତାଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇ ଥିବାରୁ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Share this Article