ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

thesamikhsya
1 Min Read
ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ୱରଠାରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାରୀରିକ ଶିକ୍ଷାର ବୃହତ ପରିସର ତଥା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷାର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ।

ଶ୍ରୀ ତ୍ରିପାଠୀ, ଓଡ଼ିଶା ସରକାର ବିଦ୍ୟାଳୟ ସ୍ତରରେ ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା ପ୍ରକାଶ କରିବା ସହିତ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଉପସ୍ଥିତ ଶାରୀରିକ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟପକ୍ଷରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓଡ଼ିଶାରେ ବିଦ୍ୟାଳୟ ରୂପାନ୍ତରଣ ଅବସରରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଯୁଗ ଉପଯୋଗୀ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ନିଜର ମତ ରଖିବା ସହିତ ଉପସ୍ଥିତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ବିଦ୍ୟାଳୟ ସ୍ତରରେ ଅଧିକ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ଉସିାହିତ କରିଥିଲେ। ଶ୍ରୀ ସାହା ଆସନ୍ତା ଦିନରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ୱ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୧୦୦ ଜଣ ପ୍ରଶିକ୍ଷାର୍ଥୀ (ପିଇଟି) ଭାଗ ନେଇଛନ୍ତି। ଚଳିତ ଖରାଛୁଟି ମଧ୍ୟରେ ୧୮୮୦ ଜଣ ପିଇଟି ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗର ପ୍ରଶିକ୍ଷିତ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଅଛନ୍ତି।

ପରିଶେଷରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଭଗବାନ ବେହେରା ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ଓ ଉପ-ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ ପରିଚାଳନା କରିଥିଲେ।

Share this Article