ସୁଦାନରୁ ୨୪୬ ଜଣଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଲା ବାୟୁସେନା ବିମାନ, ଭାବପ୍ରବଣ ହେଲେ ମହିଳା

thesamikhsya
1 Min Read

ମୁମ୍ବାଇ: ସଙ୍କଟଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ କାବେରୀ ଜାରି ରଖିଛି। ଏହି ସମୟରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ସୁଦାନରୁ ୨୪୬ ଭାରତୀୟ ନାଗରିକଙ୍କୁ ନେଇ ଏକ ବାୟୁସେନା ବିମାନ ମୁମ୍ବାଇରେ ପହଞ୍ଚିଛି। ଅନେକ ଯାତ୍ରୀ ଏଥିପାଇଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଗୃହଯୁଦ୍ଧ ସହ ସଂଗ୍ରାମ କରୁଥିବା ସୁଦାନରେ ସେନା ଏବଂ ସାମରିକ ବାହିନୀ ଆରସିଏଫ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି।

ସୁଦାନରୁ ଭାରତ ଫେରିଥିବା ଜଣେ ବୃଦ୍ଧ ମହିଳା ଯାତ୍ରୀ ଭାବପ୍ରବଣ ହୋଇ କହିଛନ୍ତି ଯେ, “ଭାରତ ଏକ ମହାନ ଦେଶ। ପ୍ରଧାନମନ୍ତ୍ରୀ ମୋଦୀ ଏକ ହଜାର ବର୍ଷ ବଞ୍ଚନ୍ତୁ।” ଏଥି ସହ ଅନ୍ୟ ଜଣେ ଭାରତୀୟ ନିଶା ମେହେଟ୍ଟା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମ ଦେଶକୁ ଫେରି ଆମେ ବହୁତ ଖୁସି। ଅନ୍ୟପକ୍ଷରେ ଦେଶକୁ ଫେରିଥିବା ଅନ୍ୟ ଜଣେ ବ୍ୟକ୍ତି ଅବତାର ସିଂ କହିଛନ୍ତି ଯେ, ସେ ଭାରତକୁ ଫେରି ବହୁତ ଖୁସି ଅଛନ୍ତି।

ଏହାପୂର୍ବରୁ ଭାରତୀୟ ବାୟୁସେନାର ଦୁଇଟି ପରିବହନ ବିମାନ ଦ୍ୱାରା ୨୫୬ ଭାରତୀୟଙ୍କୁ ସୁଦାନରୁ ସ୍ଥାନାନ୍ତର କରାଯାଇଥିଲା। ୨୭୮ ଭାରତୀୟଙ୍କୁ ନୌସେନା ଜାହାଜ INS Sumedha ମାଧ୍ୟମରେ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ଏହି ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସୁଦାନରୁ ସ୍ଥାନାନ୍ତରିତ ହୋଇଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ୭୮୦ କୁ ବୃଦ୍ଧି ପାଇଛି।

Share this Article