ରକ୍ଷା ବନ୍ଧନ ଉପହାର: ମହିଳାଙ୍କୁ ସ୍ମାର୍ଟଫୋନ୍ ସହ ମାଗଣାରେ ମିଳିବ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍

thesamikhsya
1 Min Read

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଆଗାମୀ ରକ୍ଷା ବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ଗୋଟିଏ ମାଗଣା ସ୍ମାର୍ଟଫୋନ୍ ଦେବେ। ଏହି ସ୍ମାର୍ଟଫୋନରେ ତିନି ବର୍ଷର ଇଣ୍ଟରନେଟ୍ ପ୍ୟାକ୍ ମଧ୍ୟ ମାଗଣା ହେବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ଏହି ଘୋଷଣା କରିଛନ୍ତି। ଲୋକମାନଙ୍କୁ ସମ୍ବୋଧିତ କରି ଗେହଲୋଟ୍ କହିଛନ୍ତି ଯେ, “ଆମେ ଚିରଞ୍ଜୀବୀ ଯୋଜନାରେ ସମସ୍ତ ମହିଳାଙ୍କୁ (ପରିବାରର) ମୁଖିଆ କରିଛୁ। ୧.୩୫ କୋଟି ମହିଳା ଘରର ମୁଖ୍ୟ ହୋଇଛନ୍ତି। ଏହି ମହିଳାମାନେ ତିନି ବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ। ଆମେ ସ୍ଥିର କରିଛୁ ଯେ, ରକ୍ଷା ବନ୍ଧନ ଉପରେ ରାଜସ୍ଥାନରେ ମହିଳାମାନଙ୍କୁ ଏକକାଳୀନ ୪୦ ଲକ୍ଷ ସ୍ମାର୍ଟଫୋନ୍ ଦିଆଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖମନ୍ତ୍ରୀ ଡିଜିଟାଲ୍ ସେବା ଯୋଜନା ଅଧୀନରେ ୨୦୨୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଙ୍କ ବଜେଟ୍ ଘୋଷଣା ଅନୁଯାୟୀ, ଚିରଞ୍ଜୀବୀ ପରିବାରର ମହିଳା ମୁଖ୍ୟମାନଙ୍କୁ ତିନି ବର୍ଷ ପାଇଁ ଇଣ୍ଟରନେଟ୍ ବ୍ୟବହାର ସହିତ ସ୍ମାର୍ଟ ଫୋନ୍ ଦିଆଯିବ। ଏହା ଅଧୀନରେ ଚିରଞ୍ଜୀବୀ ପରିବାରର ସମସ୍ତ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଅବଶ୍ୟ, ଏକାଥରକେ ଏତେ ସଂଖ୍ୟକ ଫୋନ୍ ଉପଲବ୍ଧ ନହେବା ହେତୁ ଏହି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ପ୍ରକାଶ ଯେ, ଏହି ବର୍ଷ ଅଗଷ୍ଟ ୩୦ ତାରିଖରେ ରକ୍ଷା ବନ୍ଧନ ପାଳିତ ହେବ।

Share this Article