ରଣପୁରରେ ଧୁମଧାମରେ ଇଦ୍ ଉଲ ଫିତର ପାଳିଲେ ଇସଲାମ ଧର୍ମାବଲମ୍ୱୀ

thesamikhsya
1 Min Read

ରଣପୁର: ଇସଲାମ ଧର୍ମର ମୁଖ୍ୟପର୍ବ ଇଦ୍ ଉଲ ଫିତର ସ୍ଥାନୀୟ ରଣପୁର ମୁସଲିମ ସାହିରେ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଇଦୁଲ ଫିତର ପର୍ବରେ ମୁସଲମାନ ଭାଇମାନେ ନମାଜ ପାଠ କରିଥିବା ବେଳେ ରଣପୁର ଅଞ୍ଚଳର ସମସ୍ତ ମୁସଲିମ ଅଧିବାସୀମାନେ ଏଥିରେ ସାମିଲ ହୋଇଥିଲେ। ଏହି ପର୍ବରେ ମୁସଲିମ ଭାଇଭଉଣୀମାନେ ଏକ ମାସ ଧରି ରୋଜା (ଉପବାସ), ନମାଜ, ଦାନଧର୍ମ, ତରାବୀ ନମାଜ ପାଠ କରିବା ସହ କୋରାନ ପାଠ କରି ଶେଷଦିନରେ ଚାନ୍ଦ ଦର୍ଶନ କରିଥିଲେ। ଉପବାସ ଶେଷ ହେବା ପରେ ଆଜି ପାଳନ ହୋଇଛି ଇଦ୍।

ଘରେ ଘରେ ସିମେଇ, ମିଠା, ଲଚ୍ଛା, ବିରୟାନୀ ଓ ଭୋଜିଭାତର ଆୟୋଜନ ହୋଇଯାଇଛି। ସଭିଏଁ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ତଥା ଇଦ ମୁବାରକ କହି ଅଭିନନ୍ଦନ ଜଣାଉଛନ୍ତି। ଏହା ଏକ ଭାଇଚାରାର ପର୍ବ। ଏଥିରେ ଜାତିଧର୍ମ ନିର୍ବିଶେଷରେ ସଭିଏଁ ସାମିଲ ହୋଇଥିଲେ।

ରଣପୁର ଅଞ୍ଚଳରେ ଏହି ମହାନ ପର୍ବରେ ସେହି ଅଞ୍ଚଳର ଅନ୍ୟ ଧର୍ମାବଲମ୍ବୀ ଅଧିବାସୀମାନେ ମୁସଲମାନ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇ ପର୍ବରେ ସାମିଲ ହୋଇଥିଲେ। ଆଜିର ଏହି ପର୍ବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ଯୁବ ସଭାପତି ସୁଶାନ୍ତ କୁମାର ମାଝୀ, ଆଇନୀଜୀବୀ ସୁରେଶ ଚନ୍ଦ୍ର ମିଶ୍ର, ସମାଜ ସେଵୀ ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଶୁଭେଚ୍ଛା ଜଣାଇ ଥିଲେ।

Share this Article