ଆଜିଠାରୁ କମ୍ପିବ ଝାରସୁଗୁଡା ମଇଦାନ, ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା, କିଏ ଆଗରେ

thesamikhsya
2 Min Read
ଆଜିଠାରୁ କମ୍ପିବ ଝାରସୁଗୁଡା ମଇଦାନ, ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା, କିଏ ଆଗରେ

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡା ମଇଦାନ କମ୍ପିବ। କାରଣ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବର୍ତ୍ତମାନ ୯ ଜଣ ପ୍ରତିଦ୍ବନ୍ଦିତା କରିବାକୁ ରହିଲେ। ଏହି ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ତେବେ ଏହି ଉପନିର୍ବାଚନରେ ମୁଖ୍ୟତଃ ବିଜେଡିର ଦୀପାଳି ଦାସଙ୍କ ସହିତ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଲଢେଇ ହେବ। ଏପରି ପରିସ୍ଥିତିରେ କଂଗ୍ରେସ ସ୍ଥିତି କଣ ହେବ ତାହା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡି ନାହିଁ। କାରଣ ନିକଟରେ କଂଗ୍ରେସ ତାହାର ନୂଆ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକଙ୍କୁ ନିଯୁକ୍ତି କରିଛି। ସେ ବର୍ତ୍ତମାନ ଏହି ଉପନିର୍ବାଚନରେ କିପରି ମଙ୍ଗ ଧରିବେ ତାହା ଜଣାପଡି ନାହିଁ।

ତେବେ ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସେଠାରେ ପ୍ରଚାର ଆରମ୍ଭ କରିସାରିଛନ୍ତି। ପ୍ରତ୍ୟେକ ଦିନ ସେ ଝାରସୁଗୁଡାର ବିଭିନ୍ନ ସ୍ଥାନକୁ ଯାଇ ଲୋକ ସଂପର୍କ ସ୍ଥାପନ କରିଆସୁଛନ୍ତି। ତାଙ୍କର ବାପା ସ୍ବର୍ଗତ ନବ ଦାସଙ୍କ ଯେଉଁ ପତିୟାରା ଥିଲା ତାହାକୁ ମଧ୍ୟ ପାଥେୟ କରି ସେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି। ଫଳରେ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ଦୀପାଳିଙ୍କ ପଲା ଭାରି ରହିଛି।

ସେହିପରି ବିଜେପି ପାଇଁ ମଧ୍ୟ ଏହି ଉପନିର୍ବାଚନ ଏକ ନୂଆ ଅନୁଭବ ସୃଷ୍ଟି କରିବ। କାରଣ ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଯୁଦ୍ଧ। ତାଙ୍କ ନେତୃତ୍ବରେ ଏହି ଉପନିର୍ବାଚନରେ ଦଳ ଲଢେଇ କରିବ। ଅନ୍ୟପକ୍ଷରେ ଟଙ୍କଧରଙ୍କ ପାଇଁ ମଧ୍ୟ ନିର୍ବାଚନ ମଇଦାନରେ ଓହ୍ଲାଇବା ପ୍ରଥମ ଅନୁଭବ ହେବ। ସେଥିପାଇଁ ଦଳ କି ପ୍ରକାରର ରଣନୀତି କରିବ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆସନ୍ତା ମେ ୧୦ ତାରିଖରେ କରାଯିବ। ସେହିପରି ଭୋଟ ଗଣତି ମେ ୧୩ ତାରିଖରେ ଅନୁଷ୍ଠିତ ହେବ।

Share this Article