ଜାଲ ସାର୍ଟିଫିକେଟ ମାମଲା: ବାଲୁଗାଁରୁ ମାଷ୍ଟରମାଇଣ୍ଡଙ୍କୁ ଧରିଲା ଗୋଶାଣି ନୂଆଗାଁ ପୋଲିସ

thesamikhsya
1 Min Read

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାଲ ସାର୍ଟିଫିକେଟ ଦେଉଥିବା ମାମଲାରେ ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ପୋଲିସ କରିଛି। ଗତକାଲି ବାଲୁଗାଁ ଥାନା ଅଞ୍ଚଳରୁ ମାଷ୍ଟରମାଇଣ୍ଡଙ୍କୁ ବ୍ରହ୍ମପୁର ଗୋଶାଣି ନୂଆଗାଁ ପୋଲିସ ଉଠାଇନେଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦୈତାରୀ ବେହେରା। ପେଶାରେ ଦୈତାରୀ ଲଙ୍ଗଳେଶ୍ୱର ୟୁପି ସ୍କୁଲରେ ସରକାରୀ ଶିକ୍ଷକ ଥିବାବେଳେ ସେ ବାଲୁଗାଁ ଗାନ୍ଧୀନଗରରେ ଏକ ଭଡ଼ା ଘରେ ରହୁଥିଲେ।

ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ସୂଚନା ମୁତାବକ ଉକ୍ତ ଥାନା ଅଞ୍ଚଳର ଜଣେ ଘରୋଇ ସ୍କୁଲ ଶିକ୍ଷକ ମନୋରଞ୍ଜନ ଗୌଡ଼ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ବ୍ରହ୍ମପୁର ଏସପି।  ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇ ଘଟଣାର ଯାଞ୍ଚ ଚାଲିଥିବା ବେଳେ ଗତକାଲି ଗୋଶାଣୀ ନୂଆଗାଁ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ଗାନ୍ଧୀନଗରରୁ ମାଷ୍ଟରମାଇଣ୍ଡ ଅଭିଯୁକ୍ତ ଦୈତାରୀଙ୍କୁ ଗିରଫ କରିଥିଲେ।

ତେବେ ଉକ୍ତ ରାକେଟରେ ସମ୍ପୃକ୍ତ ଥିବା ଦୈତାରୀଙ୍କ ପୁଅଙ୍କ ସମେତ ସମୁଦାୟ ଚାରି ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇଥିବା ଜଣାପଡିଛି। ଜାଲ ସାର୍ଟିଫିକେଟର ଚେର ବାଲୁଗାଁ ପର୍ଯ୍ୟନ୍ତ ମାଡିଥିବା ବେଳେ ବାଣପୁର-ବାଲୁଗାଁ ଅଞ୍ଚଳରେ ନିଶ୍ଚିତ ଭାବେ ଏକାଧିକ ଦଲାଲ ଉକ୍ତ ଅପରାଧରେ ସାମିଲ ଥିବେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଏସପି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Share this Article