Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ
    ଆଜିର ଖବର

    ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

    June 28, 2025No Comments10 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଭାରତର ଆଧ୍ୟାତ୍ମିକ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖୁଛି ଏବଂ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ସମାରୋହର ପବିତ୍ରତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପୂଜ୍ୟ ଆଚାର୍ଯ୍ୟଙ୍କ ଅମର ପ୍ରେରଣାରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମ ଏକ ଅସାଧାରଣ ଏବଂ ଉତ୍ସାହଜନକ ପରିବେଶ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ହେବାର ସୁଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

    ଆଜିର ଦିନଟି ଅନ୍ୟ ଏକ କାରଣ ପାଇଁ ମଧ୍ୟ ବିଶେଷ ଗୁରୁତ୍ୱ ରଖେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନେ ପକାଇଥିଲେ ଯେ ୨୮ ଜୁନ୍ ୧୯୮୭ ରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଆନୁଷ୍ଠାନିକ ଭାବରେ ‘ଆଚାର୍ଯ୍ୟ’ ଉପାଧିରେ ସମ୍ମାନିତ କରାଯାଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା କେବଳ ଏକ ଉପାଧି ନଥିଲା ବରଂ ଏକ ପବିତ୍ର ଧାରାର ଆରମ୍ଭ ଥିଲା ଯାହା ଜୈନ ପରମ୍ପରାକୁ ଚିନ୍ତନ, ଶୃଙ୍ଖଳା ଏବଂ କରୁଣାର ଆତ୍ମା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସମଗ୍ର ଦେଶ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ପାଳନ କରୁଛି, ଏହି ତାରିଖ ଆମକୁ ସେହି ଐତିହାସିକ ମୁହୂର୍ତ୍ତର ମନେ ପକାଇ ଦେଉଛି। ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମସ୍ତେ ଆଚାର୍ଯ୍ୟଙ୍କ ଆଶୀର୍ବାଦ ପାଆନ୍ତୁ ଶ୍ରୀ ମୋଦୀ କାମନା କରିଥିଲେ ।

    ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ପାଳନ କୌଣସି ସାଧାରଣ ଘଟଣା ନୁହେଁ, ଏହା ଏକ ଯୁଗ ଏବଂ ଜଣେ ମହାନ ତପସ୍ୱୀଙ୍କ ଜୀବନର ସ୍ମରଣ କରାଏ। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ପ୍ରକାଶ କରାଯାଇଛି ବୋଲି ସେ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞାସାଗର ଜୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ତାଙ୍କ ମାର୍ଗଦର୍ଶନରେ ଲକ୍ଷ ଲକ୍ଷ ଅନୁଗାମୀ ପୂଜ୍ୟ ଗୁରୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରୁଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବସରରେ ତାଙ୍କୁ ‘ଧର୍ମ ଚକ୍ରବର୍ତ୍ତୀ’ ଉପାଧିରେ ସମ୍ମାନିତ କରାଯାଇଛି ଏବଂ ବିନମ୍ରତା ସହିତ ପ୍ରକାଶ କରିଥିଲେ ଯେ ଭାରତୀୟ ପରମ୍ପରା ସନ୍ଥମାନଙ୍କଠାରୁ ଯାହା କିଛି ପ୍ରାପ୍ତ ହୁଏ ତାହାକୁ ଆଶୀର୍ବାଦ ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦିଏ। ତେଣୁ, ସେ ବିନମ୍ରତା ସହିତ ଏହି ଉପାଧି ଗ୍ରହଣ କରି ଭାରତ ମାତାଙ୍କ ପାଦରେ ଏହାକୁ ଉତ୍ସର୍ଗ କରିଥିଲେ।

    ତାଙ୍କ ଜୀବନସାରା ମାର୍ଗଦର୍ଶକଭାବରେ କାର୍ଯ୍ୟ କରିଥିବା ଏହି ଦିବ୍ୟ ଆତ୍ମାଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଜଣେ ପୂଜ୍ୟ ବ୍ୟକ୍ତିତ୍ୱଙ୍କ ବିଷୟରେ କଥା ହେବା ସ୍ୱାଭାବିକ ଭାବରେ ଗଭୀର ଭାବନାକୁ ଉନ୍ମୋଚନ କରେ। ସେ କହିଥିଲେ ଯେ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ବିଷୟରେ କହିବା ପରିବର୍ତ୍ତେ, ସେ ତାଙ୍କୁ ପୁଣି ଥରେ ଶୁଣିବାର ସୌଭାଗ୍ୟ ପାଇବାକୁ ଇଚ୍ଛା କରୁଥିଲେ। ସେ କହିଥିଲେ ଯେ ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଯାତ୍ରାକୁ ଶବ୍ଦରେ ପ୍ରକାଶ କରିବା ଏକ ସହଜ କାମ ନୁହେଁ। ସେ କହିଥିଲେ ଯେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମୁନିରାଜ ୨୨ ଏପ୍ରିଲ ୧୯୨୫ ରେ କର୍ଣ୍ଣାଟକର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କୁ ‘ବିଦ୍ୟାନନ୍ଦ’ ଆଧ୍ୟାତ୍ମିକ ନାମ ଦିଆଯାଇଥିଲା। ସେ ଆଲୋକପାତ କରିଥିଲେ ଯେ ଆଚାର୍ଯ୍ୟଙ୍କ ଜୀବନ ଜ୍ଞାନ ଏବଂ ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଥିଲା। ତାଙ୍କର ଭାଷଣ ଗଭୀର ଜ୍ଞାନରେ ପରିପୂର୍ଣ୍ଣ ଥିଲା, ତଥାପି ତାଙ୍କ ବାଣୀ ଏତେ ସରଳ ଥିଲା ଯେ ଯେକୌଣସି ବ୍ୟକ୍ତି ସେଗୁଡ଼ିକୁ ବୁଝିପାରିବେ। ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ‘ଯୁଗ ଦ୍ରଷ୍ଟା’ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ସେ ୧୫୦ରୁ ଅଧିକ ଧର୍ମଗ୍ରନ୍ଥ ରଚନା କରିଥିଲେ, ହଜାର ହଜାର କିଲୋମିଟର ଖାଲି ପାଦରେ ଯାତ୍ରା କରିଥିଲେ ଏବଂ ତାଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ଲକ୍ଷ ଲକ୍ଷ ଯୁବକଙ୍କୁ ଧର୍ମଗ୍ରନ୍ଥ ଏବଂ ସାଂସ୍କୃତିକ ମୂଲ୍ୟବୋଧ ସହିତ ଯୋଡ଼ିଥିଲେ। ସେ କହିଥିଲେ ଯେ ଏହା ତାଙ୍କର ସୌଭାଗ୍ୟ ଯେ ତାଙ୍କୁ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଆଭାକୁ ବ୍ୟକ୍ତିଗତ ଭାବରେ ଅନୁଭବ କରିବାର ଏବଂ ସମୟ ସମୟରେ ତାଙ୍କ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ପାଇବାର ସୁଯୋଗ ମିଳିଥିଲା। ସେ କହିଥିଲେ ଯେ ଏହି ଶତାବ୍ଦୀ ସମାରୋହରେ ମଧ୍ୟ ସେ ପୂଜ୍ୟ ଆଚାର୍ଯ୍ୟଙ୍କ ପ୍ରତି ସମାନ ସ୍ନେହ ଏବଂ ସମ୍ପର୍କ ଅନୁଭବ କରିଥିଲେ।

    ଶ୍ରୀ ମୋଦୀ କହିଥିଲେ, “ଭାରତ ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସଭ୍ୟତା, ଆମର ଦେଶ ହଜାର ହଜାର ବର୍ଷ ଧରି ତିଷ୍ଠିରହିଛି, କାରଣ ଏହାର ଚିନ୍ତାଧାରା, ଦର୍ଶନ ଏବଂ ବିଶ୍ୱଦୃଷ୍ଟିକୋଣ କାଳଜୟୀ।” ସେ କହିଥିଲେ ଯେ ଏହି କଳଜୟୀ ଦୃଷ୍ଟିକୋଣ ଋଷି, ମୁନି, ସନ୍ଥ ଏବଂ ଆଚାର୍ଯ୍ୟଙ୍କ ଜ୍ଞାନରେ ମୂଳ। ସେ ଆଲୋକିତ କରିଥିଲେ ଯେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜ ଏହି କାଳଜୟୀ ପରମ୍ପରାର ଏକ ଆଧୁନିକ ଆଲୋକପଥ ଭାବରେ ଠିଆ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଚାର୍ଯ୍ୟଙ୍କର ଅନେକ ବିଷୟରେ ଗଭୀର ଜ୍ଞାନ ଥିଲା ଏବଂ ସେ ଅନେକ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ। ସେ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଗଭୀରତା, ବିଶାଳ ଜ୍ଞାନ ଏବଂ କନ୍ନଡ, ମରାଠୀ, ସଂସ୍କୃତ ଏବଂ ପ୍ରାକୃତ ଭଳି ଭାଷା ଉପରେ ନିୟନ୍ତ୍ରଣର ପ୍ରଶଂସା କରିଥିଲେ। ସାହିତ୍ୟ ଏବଂ ଧର୍ମ ପ୍ରତି ଆଚାର୍ଯ୍ୟଙ୍କ ଅବଦାନ, ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ସମର୍ପଣ ଏବଂ ଜାତୀୟ ସେବା ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୀବନର ଏପରି କୌଣସି ଦିଗ ନାହିଁ ଯେଉଁଥିରେ ଆଚାର୍ଯ୍ୟ ଆଦର୍ଶ ମାନଦଣ୍ଡ ସ୍ଥାପନ କରି ନାହାଁନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ କେବଳ ଜଣେ ମହାନ ସଂଗୀତଜ୍ଞ ନଥିଲେ ବରଂ ଜଣେ ପ୍ରଚଣ୍ଡ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ପୂର୍ଣ୍ଣ ତ୍ୟାଗର ପ୍ରତିମୂର୍ତ୍ତି ଥିବା ଜଣେ ଦୃଢ଼ ଦିଗମ୍ବର ମୁନି ଥିଲେ। ସେ ତାଙ୍କୁ ଜ୍ଞାନର ଭଣ୍ଡାର ଏବଂ ଆଧ୍ୟାତ୍ମିକ ଆନନ୍ଦର ଉତ୍ସ ଭାବରେ ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସୁରେନ୍ଦ୍ର ଉପାଧ୍ୟାୟଙ୍କଠାରୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ପର୍ଯ୍ୟନ୍ତ ଯାତ୍ରା ଜଣେ ସାଧାରଣ ମଣିଷରୁ ଏକ ଦିବ୍ୟ ଆତ୍ମାକୁ ପରିବର୍ତ୍ତନକୁ ପ୍ରତିଫଳିତ କରେ। ସେ ଏହାକୁ ଏକ ପ୍ରେରଣା ବୋଲି କହିଥିଲେ ଯେ ଭବିଷ୍ୟତ ବର୍ତ୍ତମାନର ଜୀବନର ସୀମାବଦ୍ଧତା ଦ୍ୱାରା ଆବଦ୍ଧ ନୁହେଁ ବରଂ ବ୍ୟକ୍ତିର ଦିଗ, ଉଦ୍ଦେଶ୍ୟ ଏବଂ ସଂକଳ୍ପ ଦ୍ୱାରା ଆକୃତିପ୍ରାପ୍ତ ହୋଇଥାଏ।

    ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜ କେବଳ ଆଧ୍ୟାତ୍ମିକ ସାଧନା ପର୍ଯ୍ୟନ୍ତ ତାଙ୍କ ଜୀବନକୁ ସୀମିତ ରଖି ନଥିଲେ ବରଂ ସାମାଜିକ ଏବଂ ସାଂସ୍କୃତିକ ପୁନଃନିର୍ମାଣ ପାଇଁ ତାଙ୍କ ଜୀବନକୁ ଏକ ମାଧ୍ୟମରେ ପରିଣତ କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରାକୃତ ଭବନ ଏବଂ ଅନେକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରି ଆଚାର୍ଯ୍ୟ ନୂତନ ପିଢ଼ିକୁ ଜ୍ଞାନର ଜ୍ୱାଳା ବହନ କରିଥିଲେ। ସେ କହିଥିଲେ ଯେ ଆଚାର୍ଯ୍ୟ ଜୈନ ଇତିହାସକୁ ମଧ୍ୟ ପ୍ରକୃତ ସ୍ୱୀକୃତି ଦେଇଥିଲେ। ‘ଜୈନ ଦର୍ଶନ’ ଏବଂ ‘ଅନେକାନ୍ତବାଦ’ ଭଳି ମୂଳ ଗ୍ରନ୍ଥ ଲେଖି ସେ ଦାର୍ଶନିକ ଚିନ୍ତାଧାରାକୁ ଗଭୀର କରିଥିଲେ ଏବଂ ବୁଝାମଣାର ଅନ୍ତର୍ଭୁକ୍ତି ଏବଂ ବ୍ୟାପକତାକୁ ପ୍ରୋତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମନ୍ଦିର ପୁନରୁଦ୍ଧାର ଠାରୁ ଆରମ୍ଭ କରି ଅବହେଳିତ ପିଲାମାନଙ୍କ ଶିକ୍ଷା ଏବଂ ବ୍ୟାପକ ସାମାଜିକ କଲ୍ୟାଣ ପର୍ଯ୍ୟନ୍ତ ଆଚାର୍ଯ୍ୟଙ୍କ ପ୍ରତ୍ୟେକ ପ୍ରୟାସ ଆତ୍ମ-ଉପଲବ୍ଧି ଏବଂ ଜନ କଲ୍ୟାଣର ମିଶ୍ରଣକୁ ପ୍ରତିଫଳିତ କରେ।

    ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମହାରାଜ ଥରେ କହିଥିଲେ ଯେ ଜୀବନ ପ୍ରକୃତରେ ଆଧ୍ୟାତ୍ମିକ ହୋଇଯାଏ ଯେତେବେଳେ ଏହା ନିଃସ୍ୱାର୍ଥପର ସେବାର ମାଧ୍ୟମ ହୋଇଯାଏ, ଶ୍ରୀ ମୋଦୀ କହିଥିଲେ ଯେ ଏହି ଚିନ୍ତାଧାରା ଜୈନ ଦର୍ଶନର ସାରାଂଶରେ ଗଭୀର ଭାବରେ ନିହିତ ଏବଂ ଭାରତର ଆତ୍ମା ସହିତ ଆନ୍ତରିକ ଭାବରେ ଜଡିତ। “ଭାରତ ହେଉଛି ସେବା ଦ୍ୱାରା ପରିଭାଷିତ ଏବଂ ମାନବତା ଦ୍ୱାରା ପରିଚାଳିତ ଏକ ରାଷ୍ଟ୍ର”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱ ଶତାବ୍ଦୀ ଧରି ହିଂସା ଦ୍ୱାରା ହିଂସାର ଅନ୍ତ କରିବାକୁ ଚେଷ୍ଟା କରିଥିବାବେଳେ, ଭାରତ ବିଶ୍ୱକୁ ଅହିଂସାର ଶକ୍ତି ସହିତ ପରିଚିତ କରାଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତୀୟ ନୀତି ସର୍ବଦା ମାନବତା-ସେବା ଭାବନାକୁ ସର୍ବୋପରି ସ୍ଥାନ ଦେଇଛି।

    ଭାରତର ସେବା ଭାବନା ନିରନ୍ତର – ସ୍ୱାର୍ଥଠାରୁ ଉର୍ଦ୍ଧ୍ୱ ଏବଂ ନିସ୍ୱାର୍ଥପରତା ଭାବନା ଦ୍ୱାରା ପରିଚାଳିତ ବୋଲି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ନୀତି ଆଜି ଦେଶର ଶାସନକୁ ମାର୍ଗଦର୍ଶନ କରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ ଯୋଜନା ଏବଂ ଅବହେଳିତ ଲୋକଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଭଳି ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ଏହି ନୀତିର ପ୍ରତିଫଳନ, ଯାହା ସମାଜର ତଳ ଭାଗରେ ରହୁଥିବା ଲୋକଙ୍କୁ ଉତ୍ଥାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେ ଆଲୋକପାତ କରିଥିଲେ ଯେ ସରକାର ସମସ୍ତ ଯୋଜନାରେ ସିଦ୍ଧତା ହାସଲ କରିବାକୁ ପ୍ରତିବଦ୍ଧ, ଏହା ନିଶ୍ଚିତ କରୁଛି ଯେ କେହି ପଛରେ ନ ପଡ଼ନ୍ତୁ ଏବଂ ପ୍ରଗତି ପ୍ରକୃତରେ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ପୁନଃ ଦୃଢ଼ୋକ୍ତି କରିଥିଲେ ଯେ ଏହି ସଂକଳ୍ପ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଏବଂ ଏକ ସହଭାଗୀ ଜାତୀୟ ପ୍ରତିବଦ୍ଧତା।

    ପ୍ରଧାନମନ୍ତ୍ରୀ କହିଥିଲେ, “ତୀର୍ଥଙ୍କର, ସାଧୁ ଏବଂ ଆଚାର୍ଯ୍ୟଙ୍କ ଶିକ୍ଷା ଏବଂ ବାଣୀ ପ୍ରତ୍ୟେକ ଯୁଗ ପାଇଁ କାଳଜୟୀ ଏବଂ ପ୍ରାସଙ୍ଗିକ। ଆଜି, ଜୈନ ଧର୍ମର ନୀତି – ଯେପରିକି ପାଞ୍ଚ ମହାବ୍ରତ, ଅଣୁବ୍ରତ, ତ୍ରିରତ୍ନ ଏବଂ ଛଅଟି ଅତ୍ୟାବଶ୍ୟକୀୟ – ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।” ସେ କହିଥିଲେ ଯେ ସମୟର ଆବଶ୍ୟକତା ଅନୁଯାୟୀ ସାଧାରଣ ଲୋକଙ୍କ ନିକଟରେ ଚିରନ୍ତନ ଶିକ୍ଷା ପହଞ୍ଚାଇବା ଆବଶ୍ୟକ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଏହି ଉଦ୍ଦେଶ୍ୟରେ ତାଙ୍କର ଜୀବନ ଏବଂ କାର୍ଯ୍ୟକୁ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦୀ କହିଛନ୍ତି, “ଆଚାର୍ଯ୍ୟ ଜୀ ଜୈନ ଶାସ୍ତ୍ରଗୁଡ଼ିକୁ କଥିତ ଭାଷାରେ ଉପସ୍ଥାପନ କରିବା ପାଇଁ ‘ବଚନାମୃତ’ ଅଭିଯାନ ଆରମ୍ଭ କରିଥିଲେ, ସେ ସାଧାରଣ ଲୋକଙ୍କ ନିକଟରେ ଆଧ୍ୟାତ୍ମିକ ଧାରଣାଗୁଡ଼ିକୁ ସରଳ ଏବଂ ସୁଗମ ଉପାୟରେ ପହଞ୍ଚାଇବା ପାଇଁ ଭକ୍ତି ସଙ୍ଗୀତର ମଧ୍ୟ ବ୍ୟବହାର କରିଥିଲେ।” ଆଚାର୍ଯ୍ୟଙ୍କ ଏକ ସ୍ତୋତ୍ରକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ରଚନାଗୁଡ଼ିକ ଜ୍ଞାନର ମୁକ୍ତାରେ ନିର୍ମିତ ଆଧ୍ୟାତ୍ମିକ ମାଳା। ସେ କହିଛନ୍ତି ଯେ ଅମରତ୍ୱରେ ଏହି ସହଜାତ ବିଶ୍ୱାସ ଏବଂ ଅନନ୍ତ ଆଡକୁ ଦେଖିବାର ସାହସ ଭାରତୀୟ ଆଧ୍ୟାତ୍ମିକତା ଏବଂ ସଂସ୍କୃତିକୁ ପ୍ରକୃତରେ ଅସାଧାରଣ କରିଥାଏ।

    ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ବର୍ଷ ନିରନ୍ତର ପ୍ରେରଣାର ବର୍ଷ। ସେ କେବଳ ବ୍ୟକ୍ତିଗତ ଜୀବନରେ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଶିକ୍ଷାକୁ ଗ୍ରହଣ କରିବା ନୁହେଁ ବରଂ ସମାଜ ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ  ସାହିତ୍ୟିକ କୃତି ଏବଂ ଭକ୍ତି ରଚନା ମାଧ୍ୟମରେ ପ୍ରାଚୀନ ପ୍ରାକୃତ ଭାଷାକୁ ପୁନର୍ଜୀବିତ କରିବାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତ ହେଉଛି ଭାରତର ସର୍ବପୁରାତନ ଭାଷା ମଧ୍ୟରୁ ଗୋଟିଏ ଏବଂ ଜୈନ ଆଗମ ରଚିତ ଭଗବାନ ମହାବୀରଙ୍କ ଶିକ୍ଷାର ମୂଳ ମାଧ୍ୟମ। ସେ କହିଥିଲେ ଯେ ସାଂସ୍କୃତିକ ଅବହେଳା ଯୋଗୁଁ ଏହି ଭାଷା ସାଧାରଣ ବ୍ୟବହାରରୁ ଲୋପ ପାଇବା ଆରମ୍ଭ କରିଥିଲା। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀଙ୍କ ପରି ସନ୍ଥଙ୍କ ପ୍ରୟାସ ଏବେ ଏକ ଜାତୀୟ ପ୍ରୟାସରେ ପରିଣତ ହୋଇଛି। ସେ ମନେ ପକାଇଥିଲେ ଯେ ଅକ୍ଟୋବର ୨୦୨୪ ରେ ସରକାର ପ୍ରାକୃତକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। ସେ ଭାରତର ପ୍ରାଚୀନ ପାଣ୍ଡୁଲିପିକୁ ସଂରକ୍ଷଣ କରିବା ପାଇଁ ଆରମ୍ଭ ହୋଇଥିବା ଡିଜିଟାଇଜେସନ୍ ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଆଚାର୍ଯ୍ୟଙ୍କ ସହିତ ଜଡିତ ବହୁ ସଂଖ୍ୟକ ଜୈନ ଶାସ୍ତ୍ର ଏବଂ ପାଠ ଅନ୍ତର୍ଭୁକ୍ତ ଥିଲା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ଉଚ୍ଚଶିକ୍ଷାରେ ମାତୃଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣକୁ ନିଶ୍ଚିତ କରି, ସେ ଦେଶକୁ ଉପନିବେଶବାଦର ମାନସିକତାରୁ ମୁକ୍ତ କରିବା ଏବଂ ବିକାଶ ଏବଂ ଐତିହ୍ୟ ଉଭୟକୁ ଏକାଠି ଅନୁସରଣ କରିବା ପାଇଁ ତାଙ୍କର ସଂକଳ୍ପକୁ ପୁନର୍ବାର ଦୋହରାଇଲେ। ଏହି ପ୍ରତିବଦ୍ଧତା ଭାରତର ସାଂସ୍କୃତିକ ଏବଂ ତୀର୍ଥସ୍ଥଳର ବିକାଶକୁ ମାର୍ଗଦର୍ଶନ କରେ, ଶ୍ରୀ ମୋଦୀ କହିଥିଲେ। ସେ ମନେ ପକାଇଲେ ଯେ ୨୦୨୪ ମସିହାରେ, ସରକାର ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମୁନିରାଜଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗରଜୀଙ୍କ ପରି ସନ୍ଥଙ୍କ ଆଶୀର୍ବାଦରେ ଭଗବାନ ମହାବୀରଙ୍କ ୨୫୫୦ତମ ନିର୍ବାଣ ମହୋତ୍ସବ ପାଳନ ପାଇଁ ବଡ଼ ଧରଣର ଉତ୍ସବ ଆୟୋଜନ କରିଥିଲେ। ଆଗାମୀ ସମୟରେ, ଦେଶକୁ ଏହାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏପରି ବଡ଼ ଧରଣର ପ୍ରୟାସ କରିବାକୁ ପଡିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ବର୍ତ୍ତମାନର କାର୍ଯ୍ୟକ୍ରମ ପରି, ଏହିପରି ସମସ୍ତ ପଦକ୍ଷେପ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ମନ୍ତ୍ର ସହିତ ଜନଭାଗୀଦାରୀର ଆତ୍ମା ଦ୍ୱାରା ପରିଚାଳିତ ହେବ।

    ଶ୍ରୀ ମୋଦୀ କହିଥିଲେ ଯେ ଏହି ଅବସରରେ ତାଙ୍କର ଉପସ୍ଥିତି ତାଙ୍କୁ ସ୍ୱାଭାବିକ ଭାବରେ ନବକାର ମନ୍ତ୍ର ଦିବସର ମନେ ପକାଇଥାଏ, ଯେଉଁ ସମୟରେ ନଅଟି ସଂକଳ୍ପ ନିଆଯାଇଥିଲା। ଏହି ପ୍ରତିଜ୍ଞା ପୂରଣ କରିବା ପାଇଁ ବହୁ ସଂଖ୍ୟକ ନାଗରିକ ଆନ୍ତରିକ ପ୍ରୟାସ କରୁଥିବାରୁ ସେ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶିକ୍ଷା ଏହି ପ୍ରତିବଦ୍ଧତାକୁ ଦୃଢ଼ କରେ। ନଅଟି ସଂକଳ୍ପକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ସଂକଳ୍ପ ଜଳ ସଂରକ୍ଷଣ ସହିତ ଜଡିତ। ସେ ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟକୁ ଚିହ୍ନିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ, ଏହାକୁ ମାତା ପୃଥିବୀ ପ୍ରତି ଏକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଉଭୟ ବୋଲି କହିଥିଲେ। ଦ୍ୱିତୀୟ ସଂକଳ୍ପ ହେଉଛି, ‘ଏକ ପେଡ୍ ମା କେ ନାମ’, ନିଜ ମାଆଙ୍କ ନାମରେ ଏକ ଗଛ ଲଗାନ୍ତୁ ଏବଂ ମାତା ଆମ ପାଇଁ ଯତ୍ନ ନେଉଥିବା ପରି ଏହାର ଯତ୍ନ ନିଅନ୍ତୁ, ପ୍ରତ୍ୟେକ ଗଛକୁ ମାତାର ଜୀବନ୍ତ ଆଶୀର୍ବାଦ କରନ୍ତୁ। ତୃତୀୟ ସଂକଳ୍ପ ଗୁରୁତ୍ୱାରୋପ କରେ ଯେ ସ୍ୱଚ୍ଛତା ପ୍ରଦର୍ଶନ ପାଇଁ ନୁହେଁ – ଏହା ଆନ୍ତରିକ ଅହିଂସାକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ପ୍ରତ୍ୟେକ ରାସ୍ତା, ଅଞ୍ଚଳ ଏବଂ ସହରକୁ ସାମୂହିକ ଅଂଶଗ୍ରହଣ ସହିତ ସଫା ରଖିବା ଉଚିତ। ଚତୁର୍ଥ ସଂକଳ୍ପ ହେଉଛି ‘ଭୋକାଲ ଫର ଲୋକାଲ’ ବିଷୟରେ, ଶ୍ରୀ ମୋଦୀ ନାଗରିକମାନଙ୍କୁ ଦେଶବାସୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବା ଏବଂ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି, ଯାହା ଦେଶର ମାଟି ଏବଂ ଶ୍ରମରୁ ତିଆରି। ପଞ୍ଚମ ସଂକଳ୍ପ ହେଉଛି ଭାରତକୁ ଜାଣିବା ଏବଂ ବୁଝିବା । ଯଦିଓ ବିଶ୍ୱକୁ ଦେଖିବା ଭଲ, କିନ୍ତୁ ଆମକୁ ଭାରତକୁ ଗଭୀର ଭାବରେ ଜାଣିବା, ଅନୁଭବ କରିବା ଏବଂ ପାଳନ କରିବା ମଧ୍ୟ ଉଚିତ। ପ୍ରଧାନମନ୍ତ୍ରୀ ପ୍ରାକୃତିକ କୃଷି ଗ୍ରହଣ କରିବା ପାଇଁ ଷଷ୍ଠ ସଂକଳ୍ପକୁ ଗୁରୁତ୍ୱାରୋପ କରିଥିଲେ ଏବଂ ମାତା ପୃଥିବୀକୁ କ୍ଷତିକାରକ ରାସାୟନିକ ପଦାର୍ଥରୁ ମୁକ୍ତ କରିବା ଏବଂ ଗାଁରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସପ୍ତମ ସଂକଳ୍ପ ହେଉଛି ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା। ପ୍ରଧାନମନ୍ତ୍ରୀ ମେଦବହୁଳତାର ମୁକାବିଲା ଏବଂ ଜୀବନଶକ୍ତି ବୃଦ୍ଧି ପାଇଁ ସଚେତନ ଭୋଜନ, ପାରମ୍ପରିକ ଭାରତୀୟ ଖାଦ୍ୟରେ ମୋଟା ଶସ୍ୟ ଅନ୍ତର୍ଭୁକ୍ତ କରିବା ଏବଂ ତେଲ ବ୍ୟବହାରକୁ ଅତି କମରେ ଦଶ ପ୍ରତିଶତ ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଷ୍ଟମ ସଂକଳ୍ପ ହେଉଛି ଯୋଗ ଏବଂ କ୍ରୀଡାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା। ନବମ ସଂକଳ୍ପ ହେଉଛି ଗରିବଙ୍କୁ ସାହାଯ୍ୟ କରିବା, ଶ୍ରୀ ମୋଦୀ କହିଛନ୍ତି, ସେବାର ପ୍ରକୃତ ରୂପ ହେଉଛି ଅବହେଳିତଙ୍କ ହାତ ଧରିବା ଏବଂ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିବା। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ନଅଟି ସଂକଳ୍ପ ଉପରେ କାର୍ଯ୍ୟ କରି ନାଗରିକମାନେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶିକ୍ଷାକୁ ମଧ୍ୟ ଦୃଢ଼ କରିବେ।

    ଶ୍ରୀ ମୋଦୀ କହିଛନ୍ତି, “ଅମୃତ କାଳ ପାଇଁ ଭାରତର ଦୃଷ୍ଟିକୋଣ ରାଷ୍ଟ୍ର ଚେତନାରେ ଗଭୀର ଭାବରେ ନିହିତ ଏବଂ ଏହାର ସନ୍ଥମାନଙ୍କ ଜ୍ଞାନ ଦ୍ୱାରା ସମୃଦ୍ଧ”, ଏହା ପ୍ରକାଶ କରି କହିଛନ୍ତି ଯେ ୧୪୦ କୋଟି ନାଗରିକ ଅମୃତ ସଂକଳ୍ପକୁ ସାକାର କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏକ ବିକଶିତ ଭାରତର ସ୍ୱପ୍ନ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୃଷ୍ଟିକୋଣ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ତାଙ୍କ ପଥ ଅନୁସରଣ କରିବା, ତାଙ୍କ ଶିକ୍ଷାକୁ ଆତ୍ମସାତ କରିବା ଏବଂ ଦେଶ ନିର୍ମାଣକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ କରିବା ଏକ ସାମୂହିକ ଦାୟିତ୍ୱ। ତାଙ୍କ ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ଉତ୍ସବର ପବିତ୍ରତା ଏହି ପ୍ରତିବଦ୍ଧତାଗୁଡ଼ିକୁ ଆହୁରି ମଜବୁତ କରିବ ।

    ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ପୂଜ୍ୟ ସନ୍ଥ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

    ପୃଷ୍ଠଭୂମି

    ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମହାରାଜଙ୍କ ଶତବାର୍ଷିକୀ ପାଳନ ହେଉଛି ଜୈନ ଧର୍ମର ଜଣେ ମହାନ ଆଧ୍ୟାତ୍ମିକ ନେତା ଏବଂ ସମାଜ ସଂସ୍କାରକ ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମହାରାଜଙ୍କ ୧୦୦ତମ ଜନ୍ମବାର୍ଷିକୀକୁ ପାଳନ କରିବା ପାଇଁ ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟଙ୍କ ସହଯୋଗରେ ଭାରତ ସରକାର ଦ୍ୱାରା ଆୟୋଜିତ ଏକ ବର୍ଷବ୍ୟାପୀ ଜାତୀୟ ଶ୍ରଦ୍ଧାଞ୍ଜଳି ମହୋତ୍ସବର ଆନୁଷ୍ଠାନିକ ଆରମ୍ଭ। ବର୍ଷବ୍ୟାପୀ ପାଳନ ହେବାକୁ ଥିବା ଏହି ଉତ୍ସବରେ ସାରା ଦେଶରେ ସାଂସ୍କୃତିକ, ସାହିତ୍ୟିକ, ଶିକ୍ଷାଗତ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ ଯାହାର ଲକ୍ଷ୍ୟ ହେଉଛି ତାଙ୍କ ଜୀବନ ଏବଂ ଐତିହ୍ୟକୁ ପାଳନ କରିବା ଏବଂ ଲୋକଙ୍କ ନିକଟରେ ତାଙ୍କର ବାର୍ତ୍ତା ପହଞ୍ଚାଇବା।

    ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମହାରାଜ ଜୈନ ଦର୍ଶନ ଏବଂ ନୀତିଶାସ୍ତ୍ର ଉପରେ ୫୦ ରୁ ଅଧିକ ଗ୍ରନ୍ଥ ରଚନା କରିଥିଲେ। ସେ ସାରା ଭାରତରେ ପ୍ରାଚୀନ ଜୈନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ଏବଂ ପୁନରୁଦ୍ଧାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରାକୃତ, ଜୈନ ଦର୍ଶନ ଏବଂ ଶାସ୍ତ୍ରୀୟ ଭାଷାରେ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ।

    ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମହାରାଜ ନରେନ୍ଦ୍ର ମୋଦୀ ଶତବାର୍ଷିକୀ ସମାରୋହ
    Share. Facebook Twitter LinkedIn Email WhatsApp Copy Link
    Previous Articleବରଗଡ଼ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
    Next Article MEMU ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.